ବିଶ୍ଵ ବିଜୟୀ ଦକ୍ଷତାରେ ଓଡ଼ିଶା, ବିଶ୍ଵ ସର୍ବୋତ୍ତମ

ସାମର୍ଥ୍ୟ ନା ଦୃଢ଼ ମନୋବଳ?

28 ଅକ୍ଟୋବର 2017
ଶେୟାର କରନ୍ତୁ :

ମୁଁ  ମାଇଣ୍ଡଟ୍ରି କାମ କରୁଥିବା ବେଳେ ମୋ ଅଫିସ୍ ରୁମଟି ଥିଲା ସମସ୍ତଙ୍କ ପାଇଁ ଖୋଲା ବିଶେଷ କରି ନୂଆ କାମ ଆରମ୍ଭ କରିଥିବା ସଂସ୍ଥାର ଯୁବ ଇଂଜିନିୟରମାନଙ୍କ ପାଇଁ। ସେମାନେ କଥାବାର୍ତ୍ତା କରିବାକୁ ମଝିରେ ମଝିରେ ମୋ ରୁମକୁ ଚାଲି ଆସୁଥିଲେ ହୁଏତ ଏକା କିମ୍ବା ଦଳ ବାନ୍ଧି ମୋ ଠାରୁ ଉତ୍ସାହ ଓ ଆଶ୍ୱାସନା ପାଇଁ। ସେମାନେ ମୋ ପାଖରେ ମନ ଖୋଲି କଥାବାର୍ତ୍ତା କରୁଥିଲେ ସବୁବେଳେ ଯେ ଆମର କାମ ବିଷୟରେ କଥା ହେଉଥିଲା, ତା ନୁହଁ ଅନେକ ସମୟରେ ଆମ ଆଲୋଚନାର ପରିସର ବ୍ୟବସାୟ କିମ୍ବା କାମ ପରିସୀମାର ବାହାରକୁ ଚାଲି ଯାଉଥିଲା ସେମାନେ ସେମାନଙ୍କ ମନ ତଳେ ଲୁଚି ରହିଥିବା ବିଭିନ୍ନ ଦ୍ୱନ୍ଦ୍ୱ, ଭବିଷ୍ୟତ ଜୀବନ ନେଇ ରହିଥିବା ଆଶା, ଆଶଙ୍କା- ଏ ସବୁ ନେଇ ବହୁ ରକମର ପ୍ରଶ୍ନ କରୁଥିଲେ ଗୋଟିଏ ବାକ୍ୟରେ ସେସବୁର ଉତ୍ତର ଦେବା ସମ୍ଭବପର ନ ଥିଲା। ଅନେକ ଥର ମୋତେ ଉଦାହରଣ ଦେବାକୁ ହେଉଥିଲା ସତ ଘଟଣାର ଅବତାରଣା କରିବାକୁ ହେଉଥିଲା।

ଦିନକର କଥା ନୂଆ ଯୋଗ ଦେଇଥିବା ଜଣେ ଯୁବ ଇଂଜିନିୟର୍ ମୋତେ ଚିନ୍ତାଶୀଳ ଭାବରେ ପ୍ରଶ୍ନଟିଏ ପଚାରିଲେ ସାମର୍ଥ୍ୟ ଏବଂ ଦୃଢ଼ ମନୋବଳ- ଏଇ ଦୁଇଟି ଭିତରୁ କୋଉ ଗୁଣଟିର ଆବଶ୍ୟକତା ଅଧିକ? ଯଦି ଏହି ଦୁଇଟି ନିକିତିର ଦୁଇ ପଟ ହୁଏ, ତେବେ ଜୀବନରେ  ସଫଳତା ପାଇବା ପାଇଁ କୋଉ ପଟଟି ଅଧିକ ଭାରୀ ହେବା ଜରୁରୀ? ଭାରସାମ୍ୟ ରଖିବା ତ ସହଜ ନୁହଁ।

ପ୍ରଶ୍ନଟି ଶୁଣି ମୋ ମନ ଚାଲି ଯାଇ ଥିଲା ଅନେକ ପଛକୁ ପ୍ରାୟ ଅଣତିରିଶ ତିରିଶ ବର୍ଷ ତଳକୁ ସେତେବେଳେ ମୋ ବୟସ ଊଣେଇଶ। ମୁଁ ବି.ଏ ପାସ୍ କରି ଏମ୍.ଏ ରେ ଆଡମିସନ୍ ନେଲି ହେଲେ ବିଭିନ୍ନ କାରଣରୁ ସେତେବେଳେ ମୋତେ ପାଠ ବନ୍ଦ କରିଦେବାକୁ ହେଲା ଲକ୍ଷ୍ୟ ଚାକିରି କିନ୍ତୁ ସେତେବେଳେ ଓଡ଼ିଶାରେ ମୋ ବୟସର ପିଲାଙ୍କ ପାଇଁ ଚାକିରି କାହିଁ? ଓଡ଼ିଶା ବାହାରକୁ ଯାଇ ଭଲ ଚାକିରିଟିଏ ପାଇବା ପାଇଁ ମୋର ବୟସ ହୋଇ ନାହିଁ ଆଉ କିଛି ବର୍ଷ ଅପେକ୍ଷା କରିବାକୁ ହେବ ପ୍ରସ୍ତୁତ ହେବାକୁ ହେବ ସେତିକି ଦିନ ପଯର୍ୟନ୍ତ ମୁଁ କରିବି କଣ? ମୁଁ ବିନା ଦ୍ୱିଧାରେ ଓଡ଼ିଶା ସେକ୍ରେଟେରିଏଟର ଶିଳ୍ପ ବିଭାଗରେ ମାସକୁ ୩୦୫ ଟଙ୍କା ଦରମାରେ ଲୋୟର୍ ଡିଭିଜନ୍ କ୍ଲର୍କ୍ ହିସାବରେ ଯୋଗ ଦେଇଦେଲି। ସେକ୍ରେଟେରିଏଟର ପୃଥିବୀ ମୋ ପାଇଁ ନୂଆ। ମୁଁ ଦେଖିଲି ଯେ ଏଠି କାମ କମ୍ ହୁଏ, ସମୟ ନଷ୍ଟ ହୁଏ ଅଧିକ। ଅଧିକାଂଶ ଲୋକ ସମୟ ଅନୁସାରେ ଅଫିସକୁ ଆସନ୍ତି ନାହିଁ। ଅଫିସରେ ପହଞ୍ଚିବା ପରେ ଚାହା କଫି ପିଇବାରେ, ବରା ସିଙ୍ଗଡା ଖାଇବାରେ, ଖୁସି ଗପ କରିବାରେ ଆଉ ପାନଖିଆରେ ବେଶ୍ ସମୟ ଚାଲିଯାଏ। ଫାଇଲ୍ ଉପରେ ଆଖି ବୁଲେଇବାର ସମୟ ସୀମିତ। ସେ ଅଳ୍ପସମୟ କାମ କରୁ କରୁ ଅଫିସ୍ ଛୁଟିର ବେଳ ହୋଇଯାଏ। ସେମାନେ ବାହାରି ଯାଆନ୍ତି।

ହେଲେ ବ୍ୟତିକ୍ରମ ଥିଲେ ଜଣେ। ଯେଉଁ ପରିବେଶରେ ଅଧିକାଂଶ ମଣିଷ କାମ କରିବା ପ୍ରତି ବୀତସ୍ପୃହ ରହୁଥିଲେ, ଜୀବନ ନେଇ, ଜୀବନର ପ୍ରାପ୍ତି ନେଇ ଅସନ୍ତୁଷ୍ଟ ରହୁଥିଲେ, ସେହି ପରିବେଶରେ ସେ ଥିଲେ ଭିନ୍ନ ତାଙ୍କର ଏକାଗ୍ରତା, କର୍ମତତ୍ପରତା ମୋତେ ଅବାକ୍ କରୁଥିଲା। ସରକାରୀ ଅଫିସ୍ ହେଲେ ମଧ୍ୟ ସେ ସବୁଦିନ ସମୟ ପୂର୍ବରୁ ଆସୁଥିଲେ ଆଉ ଘରକୁ ଫେରି ଯିବା ବେଳକୁ ଅଧିକାଂଶ ଦିନ ଅଫିସର ସମୟ ପାର ହୋଇ ଯାଉଥିଲା। ମୁଁ ଦେଖିଛି, ସବୁବେଳେ ସେ କାର୍ଯ୍ୟ ବ୍ୟସ୍ତ କହିବା ବାହୁଲ୍ୟ, ତାଙ୍କ ଉପରେ ସମସ୍ତେ ଅଧିକ କାମ ଚାପି ଦେଉଥିଲେ। ଅଥଚ, ଯେତେ ଅଧିକ କାମ ପଡିଲେ ମଧ୍ୟ ତାଙ୍କ ମୁହଁରୁ ହସ କେବେ ହଜୁ ନ ଥିଲା। କପାଳରେ ସାମାନ୍ୟତମ ବିରକ୍ତିର ଭାଙ୍ଗଟିଏ ମଧ୍ୟ ପଡୁ ନ ଥିଲା।

ଦିନେ ଅଫିସରେ କେବଳ ସେ ଆଉ ମୁଁ ଥାଉ ଅନ୍ୟ କେହି ଆସି ନ ଥାଆନ୍ତି। ମୋର କାହିଁକି ମନେ ହେଲା ଯେ ଭଦ୍ରବ୍ୟକ୍ତି ସେଦିନ କିଛିଟା ଉଦ୍ବିଗ୍ନ ମନ ଯେମିତି ଭାରାକ୍ରାନ୍ତ। ତାଙ୍କର କଣ ହେଇଛି ? ମୁଁ ରହି ନ ପାରି ତାଙ୍କ ପାଖକୁ ଯାଇ ପଚାରିଦେଲି। କିଛି ନାହିଁ, ସେ ମୋ ପ୍ରଶ୍ନକୁ ଆଡ଼େଇ ଦେବାର ଚେଷ୍ଟା କଲେ। କିଛି ତ ହେଇଛି ନିଶ୍ଚୟ ମୁଁ ବାରମ୍ବାର ପଚାରିବାରୁ ଶେଷରେ ସେ ବାଧ୍ୟ ହୋଇ ମୁହଁଖୋଲିଲେ। ଆତ୍ମ ସଚେତନତା ଓ ସଙ୍କୋଚରେ କହିଲେ, ମୋ ସ୍ତ୍ରୀଙ୍କର କ୍ୟାନସର।

ମୁଁ ବ୍ୟସ୍ତ ହୋଇ କିଛି କହିବା ଆଗରୁ ସେ ଯୋଡ଼ିଲେ, ମୁଁ ଏତେ ଦିନ ଠିକ୍ ସମ୍ଭାଳି ନେଇଥିଲି ହେଲେ ମୋ ସ୍ତ୍ରୀଙ୍କୁ ଏବେ ହସ୍ପିଟାଲରେ ଆଡମିଟ୍ କରିବାକୁ ହେଇଛି। ଆମର ଏଠି ଭୁବନେଶ୍ୱରରେ କ୍ୟାନସର ହସ୍ପିଟାଲ୍ ନାହିଁ ତ, ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଆଡମିଟ୍ କରିବାକୁ ହେଲା। ସେ ଏକା କେମିତି ରହିବେ, ମୋତେ ସେଥିପା   ଇଁ ରାତିରେ ସେଠି ତାଙ୍କ ପାଖରେ ରହିବାକୁ ହେଉଛି ଭୋରରୁ ଉଠି ଭୁବନେଶ୍ୱର ଚାଲି ଆସେ ପିଲାମାନଙ୍କ ପାଇଁ ରୋଷେଇ କରି, ସେମାନଙ୍କୁ ଖୁଆଏ, ସ୍କୁଲ୍ ପଠାଇଦିଏ। ତାପରେ ସମୟ ଅନୁସାରେ ଅଫିସ୍। ଅଫିସରୁ ଫେରି ପିଲାଙ୍କ କଥା ଟିକିଏ ବୁଝି ପୁଣି ଶେଷ ବସରେ ଚାଲି ଯାଏ କଟକ ସ୍ତ୍ରୀଙ୍କ ପାଖକୁ। ମୁହୂର୍ତ୍ତେ ଚୁପ୍ ରହି ସେ ପୁଣି କହିଲେ, ସବୁ ଠିକ୍ ଚାଲିଥିଲା କିନ୍ତୁ ପିଲା ଦି ଟାଙ୍କର ଫାଇନାଲ୍ ପରୀକ୍ଷା ପାଇଁ ସ୍କୁଲ୍ ବନ୍ଦ ହେଇଗଲା। ଏବେ ସେମାନଙ୍କୁ ଘରେ ରହି ପଢ଼ାପଢ଼ି କରିବାକୁ ହେବ। ପୁଣି ମୁହୂର୍ତ୍ତକର ନିରବତା ତା ବି ସମ୍ଭାଳି ନେଇପାରିଥାଆନ୍ତି। ହେଲେ ହଠାତ୍ କରି ଆଗରୁ କିଛି ନ ଜଣେଇ ମୋ ବୁଢୀ ମା’ ଗାଁରୁ ଆସି ମୋ ପାଖରେ ପହଞ୍ଚିଯାଇଛନ୍ତି। ତାଙ୍କୁ କହି, ବୁଝେଇ ଲାଭ ନାହିଁ। ବିଚାରୀ ଯେ ଗତ ବେଶ୍ କେତେ ବର୍ଷ ଧରି ମାନସିକ ରୋଗ ଭୋଗୁଛନ୍ତି।

ସେ ଏତେ କଥା ଯେଉଁ କହିଗଲେ, ତା ସମବେଦନା ପାଇବା ପା  ଇଁ ନୁହଁ ସାହାଯ୍ୟ ଆଶାରେ ନୁହଁ ଜୀବନଯାତ୍ରାରେ ହଠାତ୍ କରି କେତୋଟି ଜଟିଳ ପରିସ୍ଥିତି ଆବିର୍ଭୂତ ହେଇଯାଇଛି- ତାରି ତାଲିକାଟିଏ। କେବଳ ଜୀବନକୁ ନେଇ କୌଣସି ଅଭିଯୋଗ ନାହିଁ କିମ୍ବା ସ୍ବରରେ ନୈରାଶ୍ୟ ବା ତିକ୍ତତା ମଧ୍ୟ ନାହିଁ ସାମୟିକ ଜଟିଳତା, ଶୀଘ୍ର ସମାଧାନ ହୋଇଯିବ ଆଉ ଗୋଟିଏ ସପ୍ତାହର କଥା ମାତ୍ର।

ସେ ନିଜ କାମକୁ ଫେରିଯାଇଥିଲେ କିନ୍ତୁ ମୁଁ ସ୍ତବ୍ଧ ଭାବରେ ବସି ରହିଥିଲି ବେଶ୍ କିଛି ସମୟ।

ଏହା ଭିତରେ କେତେ ବର୍ଷ କଟିଗଲାଣି ସେହି ମଣିଷଟି ଏବେ କେଉଁଠି, ତା ମୁଁ ଜାଣେ ନାହିଁ ସେକ୍ରେଟାରିଏଟର ପରିସର ଛାଡ଼ିବା ପରେ କେବେ ଥରଟିଏ ଆଉ ତାଙ୍କ ସାଙ୍ଗରେ ଦେଖା ହୋଇନାହିଁ କିନ୍ତୁ ଊଣେଇଶ ବର୍ଷ ବୟସରେ ତାଙ୍କଠାରୁ ମୁଁ ଦୃଢ଼ ମନୋବଳର ଯେଉଁ ଶିକ୍ଷା ପାଇଥିଲି, ତା ଆଜି ପର୍ଯ୍ୟନ୍ତ ଭୁଲି ପାରିନାହିଁ।

ମୁଁ ବର୍ତ୍ତମାନକୁ ଫେରି ଆସିଲି। ମୋ ଉତ୍ତର ପାଇଁ ଅପେକ୍ଷା କରି ବସିଛନ୍ତି ଯୁବ ଇଂଞ୍ଜିନିୟର୍ ଜଣକ। ତାଙ୍କୁ କହିଲି, ଶିକ୍ଷାଗତ ଯୋଗ୍ୟତା ଓ ସାମର୍ଥ୍ୟ ରହିବା ନିଶ୍ଚିତ ଭାବରେ ଭଲ କିନ୍ତୁ ମୋ ମତରେ ଦୃଢ଼ ମନୋବଳ ନ ଥିଲେ ସବୁ ମୂଲ୍ୟହୀନ ମୋ ସେକ୍ରେଟାରିଏଟ୍ ଅଭିଜ୍ଞତା ତାଙ୍କୁ କହିଲି।

ଏ ଘଟଣାର କେଇ ଦିନ ପରର କଥା ଅଧିକାଂଶ ଦିନ ଭଳି ସେଦିନ ମଧ୍ୟ ଗୋଟିଏ ପରେ ଗୋଟିଏ ମିଟିଙ୍ଗ୍ ସକାଳ ନଅଟାରୁ ଆରମ୍ଭ ହୋଇ ଚାଲିଥାଏ। କେତେବେଳେ ଯେ ଦିନ ଶେଷ ହୋଇ ଅନ୍ଧାର ନଇଁ ଆସିଲା, ତା ଜାଣିପାରି ନାହିଁ ଆଉ ମାତ୍ର ଗୋଟିଏ ଶେଷ ମିଟିଙ୍ଗ୍। ସେଇ ଶେଷ ମିଟିଙ୍ଗଟି ଥିଲା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟ କରୁଥିବା କେତେଜଣ ଇଂଞ୍ଜିନିୟରମାନଙ୍କ ସହିତ। ମିଟିଙ୍ଗ୍ ଠିକ୍ ନୁହଁ, ରିଭ୍ୟୁ ପ୍ରୋଜେକ୍ଟର ସମୀକ୍ଷା। ପ୍ରୋଜେକ୍ଟ କାମ କେମିତି ଚାଲୁଛି, କଥା ଦେଇଥିବା ସମୟ ଅନୁସାରେ ସେଇଟି ଶେଷ ହେବ କି ନାହିଁ, କାମରେ କିଛି ଅସୁବିଧା ହେଉଛି କି? - ଏହି ସବୁ ନେଇ ଆଲୋଚନା। ଆଲୋଚନା ପରେ ମୋ ପାଇଁ ସେଦିନର କାମ ଶେଷ ହେଇଯିବ ମୁଁ ଘରକୁ ଯାଇପାରିବି।

ମୁଁ ପ୍ରୋଜେକ୍ଟ କାମ ଚାଲିଥିବା ଅଫିସରେ ପହଞ୍ଚିଲି। ସନ୍ଧ୍ୟା ଛଅଟା ବାଜି ସାରିଥିଲା ସେତେବେଳକୁ ପ୍ରୋଜେକ୍ଟରେ କାମ କରୁଥିବା ୩୧ ଜଣ ଇଂଞ୍ଜିନିୟର୍ ନିଜ ନିଜ କମ୍ୟୁଟରରେ ମୁହଁ ମାଡ଼ି ବସିରହିଥାଆନ୍ତି। ମୋତେ ଦେଖି କେହି ମୁଣ୍ଡ ଟେକିଲେ ନାହିଁ, ସମ୍ଭାଷଣ ଦୂର କଥା। ମାତ୍ର ଅଳ୍ପ କେତେ ଦିନ ଭିତରେ ପ୍ରୋଜେକ୍ଟଟିକୁ ଶେଷ କରିବାକୁ ହେବ। ହାତରେ ସମୟ ନାହିଁ ଯାହା ଜଣା ପଡୁଛି, ଗତ କେତେ ରାତି ଭଳି ସେ ରାତିଟି ମଧ୍ୟ ସେମାନଙ୍କୁ ଅଫିସରେ ରହି କାମ କରିବାକୁ ହେବ ଘରକୁ ଫେରିବାର ସମ୍ଭାବନା କମ୍। ମିଟିଙ୍ଗରେ ସମୟ ନଷ୍ଟ କରିବାର ବେଳ କାହିଁ?

କିନ୍ତୁ ମୋତେ ତ ସମୀକ୍ଷା କରିବାକୁ ହିଁ ହେବ। ମୁଁ ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ପାଖ କନଫ୍ରେନ୍ସ ରୁମକୁ ଡାକି ନେଇ କଥାବାର୍ତ୍ତା କଲି। ପ୍ରୋଜେକ୍ଟ ମ୍ୟାନେଜର୍ ଜଣେ ମହିଳା ନିଜର କାର୍ଯ୍ୟ ଦକ୍ଷତା ପାଇଁ କମ୍ପାନିରେ ତାଙ୍କର ସୁନାମ ଅଛି। ସେ ମୋତେ ସବୁ ବୁଝେଇ କହିଲେ। ଚିନ୍ତା କରିବାର କିଛି ନାହିଁ କାମ ଭଲ ଚାଲିଛି ଠିକ୍ ସମୟ ଅନୁସାରେ ଶେଷ ହେବ, ମନେ ହେଉଛି କଷ୍ଟମର୍ ବହୁତ ଖୁସି ଆସନ୍ତା ସପ୍ତାହର ଅମୁକ ତାରିଖରେ ସେ ଆସିବେ ବୋଲି ଜଣେଇଛନ୍ତି। ମୁଁ ସେତେବେଳେ ବାଙ୍ଗାଲୋରରେ ରହେ ଯେମିତି। ନିଶ୍ଚୟ ମୁଁ ଉତ୍ତର ଦେଲି।

ବ୍ୟବସାୟିକ ସମୀକ୍ଷା ଶେଷ। ଏଥର ମୁଁ ଉଠିଲି ବାହାରି ଯାଉ ଯାଉ ହାଲୁକା ଭାବରେ ମୁଁ ତାଙ୍କୁ କେତୋଟି ସାଧାରଣ ବ୍ୟକ୍ତିଗତ ପ୍ରଶ୍ନ ପଚାରିଦେଲି। ଅଫିସରୁ ଘର କେତେ ଦୂର ? କାମର ଏଭଳି ଚାପ, ତା ନେଇ ପରିବାର ସମ୍ଭାଳିବାରେ କୌଣସି ଅସୁବିଧା ହେଉନି ତ ? ତାଙ୍କର ତ ପିଲା ବେଶ୍ ଛୋଟ ସେମାନଙ୍କ ଖବର ବୁଝିବାକୁ, ଘର ଚଳେଇବାକୁ ଲୋକ ଅଛନ୍ତି କି ନାହିଁ ?

ସେ ମୁଣ୍ଡ ହଲେଇଲେ ନା, ଚବିଶ ଘଣ୍ଟା ଘରେ ରହିବା ଲୋକ ସେ ରଖି ନାହାନ୍ତି। ତା ନେଇ ତାଙ୍କର କେବେ କୌଣସି ଅସୁବିଧା ହେଇନି । ହେଲେ କିଛି ଦିନ ହେଲାଣି କଣ ହେଇଛି କେଜାଣି, ତାଙ୍କ ମା’ ହଠାତ୍ ବହୁତ ଦୁର୍ବଳ ହୋଇପଡ଼ିଛନ୍ତି ବେଶି ଉଠି ବସି ପାରୁନାହାନ୍ତି। ମଝିରେ ମଝିରେ ତାଙ୍କୁ ହସ୍ପିଟାଲ୍ ନେବା ଆଣିବା କରିବାକୁ ହେଉଛି ।ଏଣେ ଡାକ୍ତରମାନେ ବି ରୋଗ ଠିକ୍ ଧରି ପାରୁନାହାନ୍ତି। ମୁହୂର୍ତ୍ତେ ଚୁପ୍ ରହି ସେ ଯୋଡିଲେ, ତା ବି ସମ୍ଭାଳି ହୋଇଯାଇଥାଆନ୍ତା ହେଲେ ଘରେ ମୋ ପାଖରେ ମୋର ୩୫ ବର୍ଷର ଭଉଣୀଟି ରହେ। ଡାଉନ୍ ସିଣ୍ଡ୍ରୋମ ବିଚାରୀର ...

ନିଜ ବ୍ୟକ୍ତିଗତ ସମସ୍ୟା ନେଇ ଏଇ କେଇ ପଦ କଥା କହି ଦେଇ ପ୍ରୋଜେକ୍ଟ ମ୍ୟାନେଜର୍ ଜଣକ ଭୀଷଣ ଲଜ୍ଜିତ ହୋଇ ପଡିଥିଲେ। ପର ମୁହୂର୍ତ୍ତରେ କଥା ଘୁରେଇ ସେ ପୁଣି ପ୍ରୋଜେକ୍ଟ ବିଷୟରେ କଥା କହିବା ଆରମ୍ଭ କରିଦେଲେ। ଆର ସପ୍ତାହରେ ଯେତେବେଳେ ଆମ କଷ୍ଟମର୍ ଆସିବେ, ସେତେବେଳେ ...

ମୋ ପାଟିରୁ ସେଦିନ କଥା ହଜି ଯାଇଥିଲା। ପ୍ରାୟ ତିନି ଦଶକର ବ୍ୟବଧାନରେ ଦୁଇଟି ପ୍ରାୟ ଏକା ଭଳି ଘଟଣାର ଅବତାରଣା ମୋ ମନକୁ ଆନ୍ଦୋଳିତ କରି ଦେଇଥିଲା।

ଜୀବନ ଯାତ୍ରାରେ କେବଳ ନାହିଁ ନାହିଁର ଘଟଣାଗୁଡ଼ିକ ଆମ ଆଖିରେ ପଡ଼େ ଛୋଟ ଛୋଟ ଅଭାବ ଅସୁବିଧା ଆମକୁ ବଡ଼ ହୋଇ ଦେଖାଯାଏ। ସାମୟିକ ଜଟିଳତା ପାଦ ତଳର ମାଟି ଯେମିତି ଟାଣି ନିଏ ଆମେ ଅବସାଦରେ ବୁଡିଯାଉ ଅଥଚ ଆମ ଆଖିରେ ଅନ୍ୟମାନଙ୍କର ସମସ୍ୟାମୟ ଜୀବନ କିମ୍ବା ସଂଘର୍ଷପୂର୍ଣ୍ଣ ପୃଥିବୀର ଚିତ୍ର କେତେଟା ପଡ଼େ ?

କେବେ ଦିନେ ଶୁଣିଥିବା କଥାଟିଏ ମୋର ମନେ ପଡ଼ି ଯାଇଥିଲା। ପାଦରେ ହଳେ ଭଲ ଜୋତା ନାହିଁ ବୋଲି ମନ ଖରାପ କରୁଛ ? ବୁଲି ଚାହଁ ପାଖରେ ଠିଆ ହୋଇଥିବା ମଣିଷଟିର ହୁଏତ ଗୋଡ଼ ହିଁ ନାହିଁ।

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।